Breaking News – ଆଉ ନାହାଁନ୍ତି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ । ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଜଣାଇଲେ ସମବେଦନା….

୨୦୨୧ ଆରମ୍ଭରେ ପୁଣି ଆସିଲା ଏକ ଦୁଃଖଦ ଖବର।ଅନାଥଙ୍କ ବନ୍ଧୁ, ସମାଜସେବୀ, ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ବୁଧବାର ଅପରାହ୍ନ ୪ ଟା ୧୫ ମିନିଟ ରେ ପରଲୋକ ଘଟିଛି।କଟକର ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଶ୍ରୀ ରାଓଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ପରେ ସେ ଗୁରୁତର ହୋଇ ପଡ଼ିଥିଲେ।

ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।ପ୍ରକାଶ ରାଓ କରୋନାରେ ଆକ୍ରାନ୍ତ ହୋଇ ଡିସେମ୍ବର ୨୫ରେ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ପ୍ରଥମରୁ ସେ ଆଇସିୟୁରେ ଥିବାବେଳେ ଆଜି ସକାଳୁ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଆଜି ସଂଧ୍ୟାରେ ତାଙ୍କର ମୃତଦେହକୁ ଏସସିବି ମେଡିକାଲରୁ ପେନସନ୍ ଲେନ୍ ବାସଭବନକୁ ନିଆଯାଇଥିବା ବେଳେ ଆ‌ସନ୍ତାକାଲି ସକାଳ ୮ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କଟକର କାଳିଆବୁଦା ଶ୍ମଶାନରେ ଅନ୍ତିମସଂସ୍କାର କରାଯିବ।

ବକ୍ସିବଜାରରେ ସ୍ୱତନ୍ତ୍ର ଢଙ୍ଗରେ ଚା ବିକ୍ରି କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ।ସେ ତାଙ୍କ ଚା’ ଦୋକାନ ରେ ଗ୍ରାହକଙ୍କ ସହିତ ଉତ୍ତର ବ୍ୟବହାର ସହିତ ମାଗଣାରେ ବିଭିନ୍ନ ପ୍ରକାର ଖବର କାଗଜ ଓ ମ୍ୟାଗଜିନ ପଢିବାକୁ ଦେଉଥିଲେ। ଡି. ପ୍ରକାଶ ରାଓ ପରବର୍ତ୍ତୀ ସମୟରେ ଅନାଥ ପିଲାଙ୍କ ଶିକ୍ଷାଦାନ ଏବଂ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନକୁ ତ୍ବରାନ୍ବିତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ୨୧୮ ଥର ରକ୍ତଦାନ କରିଥିବା କୁହାଯାଏ।

ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ଥିଲେ ବଡ।ପ୍ରକାଶ ରାଓ ଚା ଦୋକାନରୁ ମିଳୁଥିବା ଅର୍ଥରୁ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ।

ସେ ୧୭ ଥର ପ୍ଲେଟଲେଟ୍ ମଧ୍ୟ ଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମେ ୨୬ରେ କଟକ ଗସ୍ତରେ ଆସିଥିବା ସମୟରେ ଶ୍ରୀ ରାଓଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହିତ ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ। ୨୦୧୯ରେ ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ।

କରୋନା ଆକ୍ରାନ୍ତ ହେବା ପରେ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍‌ ହୋଇଥିଲା। ଯାହାଫଳରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ତାଙ୍କର ଚିକିତ୍ସା ପାଇଁ ଏସ୍‌ସିବିରେ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ କରାଯାଇ ଚିକିତ୍ସା କରାଯାଉଥିଲା।

କରୋନା ଚିକିତ୍ସା ପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲେ ବି ଅନ୍ୟ ଜଟିଳ ରୋଗର ଚିକିତ୍ସା ଚାଲିଥିଲା।ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।